bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
Daniel 4
Daniel 4
Odia IRV 2017 (ଓଡିଆ ବାଇବେଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
1
ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାର (ବିଜ୍ଞାପନ); ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ।
2
ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ୍ ବୋଧ ହେଲା।
3
ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
4
ମୁଁ ନବୂଖଦ୍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।
5
ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା।
6
ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;
7
ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।
8
ମାତ୍ର ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,
9
ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।
10
ଶଯ୍ୟା ଉପରେ ମୋ’ ମନର ଦର୍ଶନ ଏହି ପ୍ରକାର ଥିଲା; ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ।
11
ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା, ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା।
12
ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ।
13
ମୁଁ ଶଯ୍ୟା ଉପରେ ମୋ’ ମନର ଦର୍ଶନକ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
14
ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚିଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।
15
ତଥାପି ଭୂମିରେ ତାହାର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ;
16
ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।
17
ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।
18
ମୁଁ ରାଜା ନବୂଖଦ୍ନିତ୍ସର ଏହି ସ୍ୱପ୍ନ ଦେଖିଅଛି; ଏବେ ହେ ବେଲ୍ଟଶତ୍ସର, ତୁମ୍ଭେ ଅର୍ଥ ଜଣାଅ, କାରଣ ମୋ’ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ୍ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି; ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି।
19
ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ। ବେଲ୍ଟଶତ୍ସର ଉତ୍ତର କରି କହିଲେ, ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
20
ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା;
21
ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା;
22
ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
23
ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହି ଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।
24
ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି।
25
ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
26
ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ।
27
ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।
28
ରାଜା ନବୂଖଦ୍ନିତ୍ସର ପ୍ରତି ଏହିସବୁ ଘଟିଲା।
29
ବାର ମାସର ଶେଷରେ ସେ ବାବିଲର ରାଜ- ପ୍ରାସାଦରେ ବୁଲୁଥିଲା।
30
ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?
31
ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ୍ ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।
32
ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
33
ସେହି ଦଣ୍ଡରେ ନବୂଖଦ୍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
34
ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ବ ଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋ’ କତିକୁ ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
35
ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ ତୁମ୍ଭେ କ’ଣ କରୁଅଛ ଏହା ତାହାଙ୍କୁ କହି ନ ପାରେ।
36
ସେହି ସମୟରେ ମୋ’ ବୁଦ୍ଧି ମୋ’ କତିକୁ ଫେରି ଆସିଲା ଓ ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋ’ କତିକୁ ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା।
37
ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
All chapters:
1
2
3
4
5
6
7
8
9
10
11
12