bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Ezra 4
Ezra 4
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
1
ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍ର ବିପକ୍ଷମାନେ ଶୁଣିଲେ।
2
ସେତେବେଳେ ସେମାନେ ଯିରୁବ୍ବାବିଲ୍ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସର୍ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।”
3
ମାତ୍ର ଯିରୁବ୍ବାବିଲ୍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”
4
ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,
5
ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସ୍ର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ।
6
ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।
7
ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।
8
ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ;
9
ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ୱୀୟ, ଏଲମୀୟ ଲୋକମାନେ,
10
ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।
11
ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ପ୍ରତିଲିପି ଏହି; “(ଫରାତ୍) ନଦୀ ସେପାରିସ୍ଥ ଲୋକ, ଆପଣଙ୍କ ଦାସମାନଙ୍କଠାରୁ,
12
ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।
13
ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।
14
ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।
15
ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜାଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି।
16
ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।”
17
ଏଥିରେ ରାଜା ମନ୍ତ୍ରୀ ରହୂମ୍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍ଶୟ ଓ ସେମାନଙ୍କ ଶମରୀୟା-ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, “ତୁମ୍ଭମାନଙ୍କର ମଙ୍ଗଳ ହେଉ।
18
ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇଅଛି।
19
ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାଆନ୍ତେ, ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜାଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି।
20
ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
21
ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନ ହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନ ହେବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର।
22
ପୁଣି ସାବଧାନ, ଏହି ବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ?”
23
ତହିଁରେ ରହୂମ୍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍ଶୟ ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ପ୍ରତିଲିପି ପଢ଼ାଯାଆନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ।
24
ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
All chapters:
1
2
3
4
5
6
7
8
9
10