bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Lamentations 1
Lamentations 1
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
1
ହାୟ ହାୟ, ଲୋକରେ ପରିପୂର୍ଣ୍ଣ ନଗରୀ କିପରି ଏକାକିନୀ ହୋଇ ବସିଅଛି! ସେ କିପରି ବିଧବା ତୁଲ୍ୟ ହୋଇଅଛି! ଯେ ଗୋଷ୍ଠୀଗଣ ମଧ୍ୟରେ ପ୍ରଧାନା ଥିଲା ଓ ପ୍ରଦେଶସମୂହ ମଧ୍ୟରେ ରାଣୀ ଥିଲା, ସେ କିପରି କରଦାୟିନୀ ହୋଇଅଛି!
2
ସେ ରାତ୍ରିରେ ଅତିଶୟ ରୋଦନ କରେ, ତାହାର ଲୋତକ ଗାଲରେ ପଡ଼ିଅଛି; ତାହାର ସମସ୍ତ ପ୍ରେମିକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ତାହାର ବନ୍ଧୁ ସମସ୍ତେ ତାହାକୁ ପ୍ରବଞ୍ଚନା କରିଅଛନ୍ତି, ସେମାନେ ତାହାର ଶତ୍ରୁ ହୋଇଅଛନ୍ତି।
3
ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇ ଯାଇଅଛି; ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ, ମାତ୍ର ସେ କିଛି ବିଶ୍ରାମ ପାଏ ନାହିଁ; ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାହାକୁ ଧରିଅଛନ୍ତି।
4
ସିୟୋନର ପଥସକଳ ଶୋକ କରଇ, କାରଣ କେହି ମହାସଭାକୁ ଆସେ ନାହିଁ; ତାହାର ଦ୍ୱାରସବୁ ଶୂନ୍ୟ, ତାହାର ଯାଜକମାନେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି; ତାହାର କୁମାରୀଗଣ ଦୁଃଖଗ୍ରସ୍ତ ଓ ସେ ନିଜେ ମନଃପୀଡ଼ା ପାଇଅଛି।
5
ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି, ତାହାର ଶତ୍ରୁମାନେ ସମୃଦ୍ଧ ହୋଇଅଛନ୍ତି; କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଳେଶ ଦେଇଅଛନ୍ତି; ତାହାର ଶିଶୁ ସନ୍ତାନଗଣ ବିପକ୍ଷର ସମ୍ମୁଖରେ ବନ୍ଦୀ ହୋଇ ଯାଇଅଛନ୍ତି।
6
ସିୟୋନ କନ୍ୟାର ଦୀପ୍ତି ତାହାଠାରୁ ଯାଇଅଛି। ତାହାର ଅଧିପତିଗଣ ଚରାଣି ସ୍ଥାନ ନ ପାଇବା ହରିଣୀମାନଙ୍କ ପରି ହୋଇଅଛନ୍ତି, ପୁଣି ସେମାନେ ପଛେ ଗୋଡ଼ାଇବା ଲୋକର ଆଗେ ଆଗେ ଶକ୍ତିହୀନ ହୋଇ ଗମନ କରିଅଛନ୍ତି।
7
ନିଜ ଦୁଃଖ ଓ ଦୁର୍ଗତିର ସମୟରେ, ଯିରୂଶାଲମ ଆପଣା ପୂର୍ବକାଳର ମନୋହର ବିଷୟସବୁ ସ୍ମରଣ କରୁଅଛି। ଯେତେବେଳେ ତାହାର ଲୋକମାନେ ବିପକ୍ଷର ହସ୍ତରେ ପଡ଼ିଲେ ଓ କେହି ତାହାର ସାହାଯ୍ୟ କଲେ ନାହିଁ, ସେତେବେଳେ ବିପକ୍ଷଗଣ ତାହାକୁ ଦେଖି ତାହାର ଉତ୍ସନ୍ନତାରେ ଉପହାସ କଲେ।
8
ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେମାନେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି।
9
ତାହାର ଅଶୁଚିତା ତାହାର ବସ୍ତ୍ରର ଅଞ୍ଚଳରେ ଥିଲା; ସେ ଆପଣାର ଶେଷ ଦଶା ସ୍ମରଣ କଲା ନାହିଁ; ଏଥିପାଇଁ ସେ ଆଶ୍ଚର୍ଯ୍ୟଜନକ ରୂପେ ଅଧଃପତିତ ହୋଇଅଛି; ତାହାର ସାନ୍ତ୍ୱନାକାରୀ କେହି ନାହାନ୍ତି। ହେ ସଦାପ୍ରଭୁ, ମୋହର ଦୁଃଖ ଦେଖ, କାରଣ ଶତ୍ରୁ ଆପଣାକୁ ବଡ଼ କରିଅଛି।
10
ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି; ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି।
11
ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।
12
ହେ ପଥିକ ସମସ୍ତେ, ଏହା କି ତୁମ୍ଭମାନଙ୍କ ପ୍ରତି କିଛି ନୁହେଁ? ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି? ତଦ୍ଦ୍ୱାରା ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧର ଦିନରେ ମୋତେ କ୍ଳେଶଯୁକ୍ତ କରିଅଛନ୍ତି।
13
ସେ ଊର୍ଦ୍ଧ୍ୱରୁ ମୋʼ ଅସ୍ଥିସକଳର ମଧ୍ୟକୁ ଅଗ୍ନି ପ୍ରେରଣ କରିଅଛନ୍ତି, ଆଉ ତାହା ସେସବୁକୁ ପରାସ୍ତ କରଇ; ସେ ମୋʼ ଚରଣ ପାଇଁ ଜାଲ ପାତିଅଛନ୍ତି, ସେ ମୋତେ ଫେରାଇ ଅଛନ୍ତି; ସେ ମୋତେ ଅନାଥିନୀ ଓ ଦିନସାରା ମୂର୍ଚ୍ଛିତ କରିଅଛନ୍ତି।
14
ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋʼ ସ୍କନ୍ଧ ଉପରକୁ ଆସିଅଛି; ସେ ମୋʼ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।
15
ପ୍ରଭୁ ମୋହର ମଧ୍ୟବର୍ତ୍ତୀ ବୀର ସମସ୍ତଙ୍କୁ ଅକିଞ୍ଚନା କରିଅଛନ୍ତି; ସେ ମୋʼ ଯୁବକଗଣକୁ ଦଳି ପକାଇବା ପାଇଁ ମୋʼ ବିରୁଦ୍ଧରେ ଏକ ମହାସଭା ଆହ୍ୱାନ କରିଅଛନ୍ତି; ଦ୍ରାକ୍ଷାକୁଣ୍ଡରେ ମର୍ଦ୍ଦନ କଲା ପରି ପ୍ରଭୁ ଯିହୁଦାର କୁମାରୀକୁ ମର୍ଦ୍ଦନ କରିଅଛନ୍ତି।
16
ଏହିସବୁ ବିଷୟର ଲାଗି ମୁଁ କ୍ରନ୍ଦନ କରୁଅଛି; ମୋର ଚକ୍ଷୁ, ମୋର ଚକ୍ଷୁ ଜଳର ନିର୍ଝର ହୋଇଅଛି; କାରଣ ମୋʼ ସାନ୍ତ୍ୱନାକାରୀ ଯେ ମୋହର ପ୍ରାଣକୁ ଆଶ୍ୱାସ ଦିଅନ୍ତା; ସେ ମୋʼ ଠାରୁ ଦୂରରେ ଅଛି; ଶତ୍ରୁ ଜୟଯୁକ୍ତ ହେବାରୁ ମୋର ସନ୍ତାନଗଣ ଅନାଥ ହୋଇଅଛନ୍ତି।
17
ସିୟୋନ ଆପଣା ହସ୍ତ ପ୍ରସାରୁଅଛି; ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ଯାକୁବର ଚତୁର୍ଦ୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି; ଯିରୂଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି।
18
ସଦାପ୍ରଭୁ ଧାର୍ମିକ ଅଟନ୍ତି; ମୁଁ ତାହାଙ୍କ ଆଜ୍ଞାର ପ୍ରତିକୂଳାଚରଣ କରିଅଛି; ହେ ଗୋଷ୍ଠୀସକଳ, ବିନୟ କରୁଅଛି, ତୁମ୍ଭେମାନେ ଶୁଣ ଓ ମୋହର ଦୁଃଖ ଦେଖ; ମୋହର କୁମାରୀଗଣ ଓ ଯୁବକଗଣ ବନ୍ଦୀତ୍ୱ ସ୍ଥାନକୁ ଯାଇଅଛନ୍ତି।
19
ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ପ୍ରବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।
20
ହେ ସଦାପ୍ରଭୁ, ଦେଖ; କାରଣ ମୁଁ ବିପଦଗ୍ରସ୍ତା; ମୋହର ଅନ୍ତ୍ର ବ୍ୟଥିତ ହେଉଅଛି; ମୋର ହୃଦୟ ମୋʼ ଅନ୍ତରରେ ବିକାରପ୍ରାପ୍ତ ହେଉଅଛି; କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି; ବାହାରେ ଖଡ୍ଗ ବଧ କରୁଅଛି, ଗୃହରେ ମୃତ୍ୟୁୁ ଥିଲା ପରି ହେଉଅଛି।
21
ଲୋକମାନେ ମୋହର ଦୀର୍ଘ ନିଶ୍ୱାସ ଶୁଣିଅଛନ୍ତି; ମୋତେ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ମୋର ଶତ୍ରୁ ସମସ୍ତେ ମୋʼ ବିପଦର କଥା ଶୁଣିଅଛନ୍ତି; ତୁମ୍ଭେ ତାହା ଘଟାଇଅଛ ବୋଲି ସେମାନେ ଆନନ୍ଦିତ ଅଟନ୍ତି; ତୁମ୍ଭେ ଯେଉଁ ଦିନର କଥା ପ୍ରଚାର କରିଅଛ, ତାହା ଉପସ୍ଥିତ କରିବ, ପୁଣି ସେମାନେ ମୋହର ତୁଲ୍ୟ ହେବେ।
22
ସେମାନଙ୍କର ସକଳ ଦୁଷ୍ଟତା ତୁମ୍ଭ ସମ୍ମୁଖରେ ପ୍ରବେଶ ହେଉ ଓ ତୁମ୍ଭେ ମୋହର ସକଳ ଆଜ୍ଞାଲଙ୍ଘନ ସକାଶୁ ମୋʼ ପ୍ରତି ଯେରୂପ କରିଅଛ, ସେମାନଙ୍କ ପ୍ରତି ସେରୂପେ କର; କାରଣ ମୋହର ଦୀର୍ଘ ନିଶ୍ୱାସ ଅନେକ ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
All chapters:
1
2
3
4
5