bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Lamentations 2
Lamentations 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ସଦାପ୍ରଭୁ ଯିରୁଶାଲମ ଧ୍ୱଂସ କଲେ ଦେଖ, ସଦାପ୍ରଭୁ କିପରି ଆପଣା କ୍ରୋଧରେ ସିୟୋନ କନ୍ୟାକୁ ମେଘାଚ୍ଛନ୍ନ କରିଛନ୍ତି। ସେ ଇସ୍ରାଏଲର ଗୌରବକୁ ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି। ପୁଣି ତାଙ୍କର କ୍ରୋଧର ଦିନରେ ତାଙ୍କର ପାଦପୀଠ ଇସ୍ରାଏଲକୁ ସ୍ମରଣ କରି ନାହାନ୍ତି।
2
ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ୱଂସ କରିଛନ୍ତି। ସେ ତାହା ପ୍ରତି ଦୟା କରି ନାହାନ୍ତି। ସେ ଆପଣା କ୍ରୋଧରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ୟ ଓ ତା’ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।
3
ସଦାପ୍ରଭୁ ପ୍ରଚଣ୍ଡ କ୍ରୋଧରେ ଇସ୍ରାଏଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। ସେ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଛନ୍ତି। ସେ ଅଗ୍ନିଶିଖା ପରି ଯାକୁବକୁ ଜ୍ୱଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗରେ ଥିବା ସବୁକିଛି ଗ୍ରାସ କରିଛନ୍ତି।
4
ଆଉ ସଦାପ୍ରଭୁ ଶତ୍ରୁ ପରି ଧନୁରେ ସୂତା ବାନ୍ଧିଥିଲେ ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁଶୋଭିତ କରିଛନ୍ତି। ଯିହୁଦାର ସମସ୍ତ ସୁନ୍ଦର ଲୋକଙ୍କୁ ଶତ୍ରୁପରି ବଧ କରିଅଛନ୍ତି। ପୁଣି ତାଙ୍କର କ୍ରୋଧାଗ୍ନିକୁ ସିୟୋନ କନ୍ୟାର ତମ୍ବୁ ଉପରେ ଢାଳି ଦେଇଅଛନ୍ତି।
5
ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା’ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।
6
ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସେମାନଙ୍କର ଆବାସ କୁଡ଼ିଆକୁ ନଷ୍ଟ କରି ଦେଇଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦେଇଅଛନ୍ତି। ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମ ଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କ୍ରୋଧରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
7
ସଦାପ୍ରଭୁ ଆପଣା ଯଜ୍ଞବେଦି ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା’ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦେଇଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦରେ ସଦାପ୍ରଭୁଙ୍କ ମନ୍ଦିରରେ ଧ୍ୱନି କରୁଛନ୍ତି।
8
ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସେମାନେ ଏକାବେଳକେ ନିସ୍ତେଜ ହୋଇଛନ୍ତି।
9
ତାହାର ନଗରଦ୍ୱାର ସବୁ ଭୂମିସାତ୍ ହୋଇଅଛି, ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ ହୋଇଗଲା। ତା’ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅଛନ୍ତି, ତା’ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା’ର ଭବିଷ୍ୟଦ୍ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇ ନାହାନ୍ତି।
10
ସିୟୋନ କନ୍ୟା, ବୟସ୍କାମାନେ ନୀରବରେ ଭୂମିରେ ବସିଛନ୍ତି। ସେମାନେ ଆପଣା ମସ୍ତକରେ ଧୂଳି ବୋଳି ହୋଇଛନ୍ତି ଓ କଟି ଦେଶରେ ଶୋକ ବସ୍ତ୍ର ବାନ୍ଧିଛନ୍ତି। ଯିରୁଶାଲମର କୁମାରୀମାନେ ଭୂମିକୁ ସେମାନଙ୍କର ମସ୍ତକରେ ଅବନତ କରିଛନ୍ତି।
11
ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ୟଥିତ ହୁଏ। ମୋର ଲୋକମାନଙ୍କର ବିନାଶ ହେତୁ ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।
12
ସେମାନେ ନିଜ ନିଜ ମାତାକୁ “ଶସ୍ୟ ଓ ଦ୍ରାକ୍ଷାରସ କାହିଁ?” ଏହି କଥା ପଗ୍ଭରୁଛନ୍ତି, ଯେତେବେଳେ ସେମାନେ ମୂର୍ଚ୍ଛା ଯାଆନ୍ତି। ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମା କୋଳରେ ପ୍ରାଣତ୍ୟାଗ କରନ୍ତି।
13
ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ୟା, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ?
14
ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ। ସେମାନେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି।
15
ପଥିକମାନେ ତୁମ୍ଭର ଦୁରାବସ୍ଥାରେ ହାତତାଳି ଦିଅନ୍ତି। ସେମାନେ “ଶୀସ୍” ଶବ୍ଦ କରି ଯିରୁଶାଲମର କନ୍ୟା ପ୍ରତି ମସ୍ତକ ହଲାଇ କହନ୍ତି, “ଏ କ’ଣ ସେହି ନଗରୀ ଯାହାକୁ ଲୋକମାନେ ‘ସୌନ୍ଦର୍ଯ୍ୟମୟୀ ନଗରୀ’ ଓ ‘ସମଗ୍ର ପୃଥିବୀର ଆନନ୍ଦ ସ୍ୱରୂପ’ ବୋଲି କହୁଥିଲେ?”
16
ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସେମାନେ “ଶୀସ୍” ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, “ଆମ୍ଭେମାନେ ତାକୁ ଗ୍ରାସ କରିଅଛୁ, ଆମ୍ଭେମାନେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭେମାନେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।”
17
ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସେହି ବାକ୍ୟ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି ଓ ସେ ତୁମ୍ଭ ବିପକ୍ଷରେ ସେମାନଙ୍କୁ ଉନ୍ନତ କରିଅଛନ୍ତି।
18
ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।
19
ଉଠ, ରାତ୍ରିର ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳପରି ଢାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖରେ ହାତଯୋଡ଼ି ପ୍ରାର୍ଥନା କର। କାରଣ ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ କ୍ଷୁଧାରେ ଛଟପଟ ହେଉଛନ୍ତି।
20
ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା’ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ? ଯାଜକଗଣ ଓ ଭବିଷ୍ୟଦ୍ବକ୍ତା କ’ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି?
21
ଯୁବକ ଓ ବୃଦ୍ଧ ନଗରର ରାସ୍ତାରେ ପତିତ ହୋଇଛନ୍ତି। ଯୁବକ, ଯୁବତୀ ଖଡ଼୍ଗରେ ହତ ହୋଇ ପଡ଼ିଛନ୍ତି। ସଦାପ୍ରଭୁ ସେମାନଙ୍କୁ ଆପଣା କ୍ରୋଧ ଦିନରେ ବଧ କରିଛନ୍ତି ଓ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୋଇଛନ୍ତି।
22
ତୁମ୍ଭେ ମୋର ଚତୁର୍ଦ୍ଦିଗରୁ ଭୟକୁ ଆହ୍ୱାନ କରୁଅଛି, ସତେ ଯେପରି ସେମାନଙ୍କୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇଲେ ନାହିଁ କି କେହି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସେମାନଙ୍କୁ ସଂହାର କରିଅଛି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5