bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Kings 1
1 Kings 1
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
1
ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ ।
2
ଏଣୁ ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ଵେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ ।
3
ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ଵେଷଣ କରି ଶୁନେମୀୟା ଅବୀଶଗକୁ ପାଇ ରାଜାଙ୍କ ନିକଟକୁ ତାହାକୁ ଆଣିଲେ ।
4
ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ ।
5
ଏହି ସମୟରେ ହାଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, ମୁଁ ରାଜା ହେବି; ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ଵାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପାଞ୍ଚଶହ ଜଣ ପ୍ରସ୍ତୁତ କଲା ।
6
ମାତ୍ର ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରି ନ ଥିଲେ । ସେ ମଧ୍ୟ ଅତି ସୁନ୍ଦର ପୁରୁଷ ଓ ଅବଶାଲୋମ ଉତ୍ତାରେ ଜାତ ହୋଇଥିଲା ।
7
ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ ।
8
ମାତ୍ର ସାଦୋକ ଯାଜକ ଓ ଯିହୋୟାଦାର ପୁତ୍ର ବନାୟ ଓ ନାଥନ ଭବିଷ୍ୟଦ୍ବକ୍ତା ଓ ଶିମୀୟି ଓ ରେୟି ଓ ଦାଉଦଙ୍କର ବୀରଗଣ ଅଦୋନୀୟର ପକ୍ଷ ନ ଥିଲେ ।
9
ଏଉତ୍ତାରେ ଅଦୋନୀୟ ଐନରୋଗେଲର ପାର୍ଶ୍ଵସ୍ଥ ସୋହେଲତ୍-ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଯିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲା ।
10
ମାତ୍ର ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ଶଲୋମନକୁ ସେ ନିମନ୍ତ୍ରଣ କଲା ନାହିଁ ।
11
ଏଥିରେ ନାଥନ ଶଲୋମନଙ୍କର ମାତା ବତ୍ଶେବାକୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜ୍ୟ କରୁଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ?
12
ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ ।
13
ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ହେ ମୋହର ପ୍ରଭୋ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକି କହି ନାହାନ୍ତି, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ? ତେବେ ଅଦୋନୀୟ କିହେତୁ ରାଜ୍ୟ କରୁଅଛି?
14
ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି ।
15
ଏଥିରେ ବତ୍ଶେବା କୋଠରି ଭିତରେ ରାଜାଙ୍କ ନିକଟକୁ ଗଲା; ସେସମୟରେ ରାଜା ଅତି ବୃଦ୍ଧ ଥିଲେ; ଆଉ ଶୁନେମୀୟା ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା ।
16
ତହୁଁ ବତ୍ଶେବା ନଇଁପଡ଼ି ରାଜାଙ୍କୁ ପ୍ରଣାମ କଲା । ତହିଁରେ ରାଜା ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ?
17
ଏଥିରେ ସେ ତାଙ୍କୁ କହିଲା, ହେ ମୋହର ପ୍ରଭୋ, ଆପଣ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ ।
18
ମାତ୍ର ଏବେ ଦେଖନ୍ତୁ, ଅଦୋନୀୟ ରାଜ୍ୟ କରୁଅଛି, ଆଉ ମୋʼ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ ।
19
ଆଉ ସେ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ମହାରାଜଙ୍କ ସମସ୍ତ ପୁତ୍ରଙ୍କୁ ଓ ଅବୀୟାଥର ଯାଜକକୁ ଓ ଯୋୟାବ ସେନାପତିକି ନିମନ୍ତ୍ରଣ କରିଅଛି; ମାତ୍ର ଆପଣଙ୍କ ଦାସ ଶଲୋମନକୁ ନିମନ୍ତ୍ରଣ କରି ନାହିଁ ।
20
ପୁଣି ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି ।
21
ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃ-ଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ ।
22
ଆଉ ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହେଲେ ।
23
ଏଣୁ ସେମାନେ ରାଜାଙ୍କୁ କହିଲେ, ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍ବକ୍ତା । ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ ।
24
ପୁଣି ନାଥନ କହିଲେ, ହେ ମୋହର ପ୍ରଭୋ ମହାରାଜ, ମୋʼଉତ୍ତାରେ ଅଦୋନୀୟ ରାଜ୍ୟ କରିବ ଓ ମୋʼ ସିଂହାସନରେ ବସିବ, ଏହା କଅଣ ଆପଣ କହିଅଛନ୍ତି?
25
କାରଣ ସେ ଆଜି ଯାଇ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବିୟାଥର ଯାଜକକୁ ନିମନ୍ତ୍ରଣ କରିଅଛି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନିୟ ରାଜା ଚିରଜୀବୀ ହେଉନ୍ତୁ ।
26
ମାତ୍ର ଆପଣଙ୍କ ଦାସ ଯେ ମୁଁ, ମୋତେ ଓ ସାଦୋକ ଯାଜକକୁ ଓ ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନକୁ ସେ ନିମନ୍ତ୍ରଣ କରି ନାହିଁ ।
27
ଏହି କର୍ମ କି ମୋʼ ପ୍ରଭୁ ମହରାଜଙ୍କ ଦ୍ଵାରା ହେଲା, ଆଉ ମୋʼ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି?
28
ତେବେ ଦାଉଦ ରାଜା ଉତ୍ତର କରି କହିଲେ, ବତ୍ଶେବାକୁ ମୋʼ କତିକି ଡାକ । ତହୁଁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା ।
29
ଏଥିରେ ରାଜା ଶପଥ କରି କହିଲେ, ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ
30
ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ମୋʼ ପଦରେ ମୋʼ ସିଂହାସନରେ ବସିବ, ସବୁ କ୍ଳେଶରୁ ମୋʼ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି ।
31
ତହୁଁ ବତ୍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ ।
32
ଏଥିରେ ଦାଉଦ ରାଜା କହିଲେ, ସାଦୋକ ଯାଜକକୁ ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ କତିକି ଡାକ । ଏଣୁ ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ ।
33
ତହିଁରେ ରାଜା ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋʼ ପୁତ୍ର ଶଲୋମନକୁ ମୋʼ ନିଜ ଖଚରରେ ଆରୋହଣ କରାଇ ଗୀହୋନକୁ ଆଣ ।
34
ଆଉ ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ ।
35
ତହିଁ ଉତ୍ତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋʼ ସିଂହାସନରେ ବସୁ; କାରଣ ସେ ମୋʼ ପଦରେ ରାଜା ହେବ; ଆଉ ମୁଁ ତାହାକୁ ଇସ୍ରାଏଲ ଓ ଯିହୁଦାର ଅଗ୍ରଣୀ କରି ନିଯୁକ୍ତ କଲି ।
36
ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, ଆମେନ୍; ମୋʼ ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ଵର ମଧ୍ୟ ଏପରି କହନ୍ତୁ ।
37
ସଦାପ୍ରଭୁ ଯେପରି ମୋʼ ପ୍ରଭୁ ମହାରାଜଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେପରି ଶଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ ଓ ସେ ମୋʼ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ ।
38
ଏଥିରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ଓ ଯିହୋୟାଦାର ପୁତ୍ର ବନାୟ ଓ କରେଥୀୟ ଓ ପଲେଥୀୟ ଲୋକମାନେ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗୀହୋନକୁ ଆଣିଲେ ।
39
ପୁଣି ସାଦୋକ ଯାଜକ ତମ୍ଵୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲା । ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ ।
40
ଆଉ ସମସ୍ତ ଲୋକ ତାହା ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶଦ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା ।
41
ପୁଣି ଅଦୋନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ । ଆଉ ଯୋୟାବ ତୂରୀ ଶଦ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶଦ୍ଦ କାହିଁକି ହେଉଅଛି?
42
ସେ ଏପରି କହୁଥିବା ସମୟରେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା; ତହିଁରେ ଅଦୋନୀୟ କହିଲା, ଭିତରକୁ ଆସ; କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ ।
43
ତହିଁରେ ଯୋନାଥନ ଅଦୋନୀୟକୁ ଉତ୍ତର କରି କହିଲା, ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି;
44
ପୁଣି ରାଜା ସାଦୋକ ଯାଜକକୁ ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ, ପୁଣି କରେଥୀୟ ଓ ପଲେଥୀୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ;
45
ଆଉ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ତାଙ୍କୁ ଗୀହୋନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରି କରି ଆସିଲେ ଯେ, ତହିଁର ଶଦ୍ଦରେ ନଗର ପରିପୂର୍ଣ୍ଣ ହେଲା । ତୁମ୍ଭେମାନେ ଯାହା ଶୁଣିଲ, ତାହା ସେହି ଶଦ୍ଦ ।
46
ଶଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି ।
47
ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ଆପଣଙ୍କ ପରମେଶ୍ଵର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ; ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ ।
48
ଆଉ ମଧ୍ୟ ରାଜା ଏପରି କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ, ସେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା ।
49
ଏଥିରେ ଅଦୋନୀୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଚାଲିଗଲେ ।
50
ଆଉ ଅଦୋନୀୟ ଶଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦିର ଶୃଙ୍ଗ ଅବଲମ୍ଵନ କଲା ।
51
ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ଵନ କରି କହୁଅଛି, ଶଲୋମନ ରାଜା ଯେ ଆପଣା ଦାସକୁ ଖଡ଼୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋʼ ନିକଟରେ ଶପଥ କରନ୍ତୁ ।
52
ତହିଁରେ ଶଲୋମନ କହିଲେ, ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ, ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ; ମାତ୍ର ତାହାଠାରେ ଦୁଷ୍ଟତା ଦେଖାଗଲେ, ସେ ମରିବ ।
53
ତହୁଁ ଶଲୋମନ ରାଜା ଲୋକ ପଠାନ୍ତେ, ସେମାନେ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ । ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ପୁଣି ଶଲୋମନ ତାହାକୁ କହିଲେ, ଆପଣା ଘରକୁ ଯାଅ ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22