bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Ruth 1
Ruth 1
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ବିଚାରକର୍ତ୍ତୃଗଣ ବିଚାର କରିବା କାଳେ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା । ତହିଁରେ ବେଥ୍ଲିହିମ-ଯିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ ଦୁଇ ପୁତ୍ର ଘେନି ମୋୟାବ ଦେଶରେ ପ୍ରବାସ କରିବାକୁ ଗଲା ।
2
ସେ ଲୋକର ନାମ ଏଲିମେଲକ ଓ ତାହାର ଭାର୍ଯ୍ୟାର ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କର ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥ୍ଲିହିମ-ଯିହୁଦାର ଏଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ ।
3
ଏଉତ୍ତାରୁ ନୟମୀର ସ୍ଵାମୀ ଏଲିମେଲକର ମୃତ୍ୟୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ ।
4
ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କଲେ, ଜଣକର ଭାର୍ଯ୍ୟାର ନାମ ଅର୍ପା, ଆନର ନାମ ରୂତ; ପୁଣି ସେମାନେ ଊଣାଧିକ ଦଶ ବର୍ଷ ଯାଏ ସେଠାରେ ବାସ କଲେ ।
5
ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ର ଓ ସ୍ଵାମୀବିହୀନା ହୋଇ ରହିଲା ।
6
ଅନନ୍ତର ସେ ସ୍ତ୍ରୀ ଆପଣା ପୁତ୍ରବଧୂମାନଙ୍କୁ ଘେନି ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା, ଯେହେତୁ ସଦାପ୍ରଭୁ ଯେ ଆପଣା ଲୋକଙ୍କର ତତ୍ତ୍ଵାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ସେ ସ୍ତ୍ରୀ ମୋୟାବ ଦେଶରେ ଥାଇ ଶୁଣିଲା ।
7
ଏଣୁ ଆପଣା ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରି ଯିବା ପାଇଁ ପଥରେ ଗମନ କଲେ ।
8
ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, ତୁମ୍ଭେମାନେ ଆପଣା ଆପଣା ମାତାର ଗୃହକୁ ଫେରି ଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ ।
9
ତୁମ୍ଭେ ଦୁଇ ଜଣ ଆପଣା ଆପଣା ସ୍ଵାମୀ ଗୃହରେ ଯେପରି ଆଶ୍ରୟ ପାଅ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ; ଅନନ୍ତର ସେ ସେମାନଙ୍କୁ ଚୁମ୍ଵନ କଲା; ତହିଁରେ ସେମାନେ ଉଚ୍ଚୈଃସ୍ଵରରେ ରୋଦନ କଲେ ।
10
ପୁଣି ସେମାନେ ତାହାକୁ କହିଲେ, ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରି ଯିବା ।
11
ନୟମୀ ଉତ୍ତର କଲା, ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ଵାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି?
12
ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ଵାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ,
13
ତେବେ ତୁମ୍ଭେମାନେ କି ସେମାନଙ୍କର ବୟଃପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥି ନିମନ୍ତେ ଆନ ସ୍ଵାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି; କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ନିର୍ଗତ ହୋଇଅଛି ।
14
ଏଥିରେ ସେମାନେ ପୁନର୍ବାର ଉଚ୍ଚୈଃସ୍ଵରରେ ରୋଦନ କଲେ, ପୁଣି ଅର୍ପା ଆପଣା ଶାଶୁକୁ ଚୁମ୍ଵନ କଲା, ମାତ୍ର ରୂତ ତାକୁ ଧରି ରହିଲା ।
15
ସେ ତାକୁ କହିଲା, ଦେଖ, ତୁମ୍ଭର ଜାଆ ଆପଣା ଲୋକମାନଙ୍କ ଓ ଆପଣା ଦେବତା ନିକଟକୁ ଫେରି ଗଲା, ତୁମ୍ଭେ ହିଁ ଆପଣା ଜାଆ ପଛେ ଫେରି ଯାଅ ।
16
ରୂତ କହିଲା, ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରିବାରୁ ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ଵର ହିଁ ମୋହର ପରମେଶ୍ଵର ହେବେ।
17
ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ ।
18
ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼-ମନସ୍କ ଅଟେ, ଏହା ଦେଖି ସେ ତାହାକୁ କଥା କହିବାରୁ କ୍ଷା; ହେଲା ।
19
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥ୍ଲିହିମରେ ଉପସ୍ଥିତ ହେଲେ । ପୁଣି ଯେତେବେଳେ ସେମାନେ ବେଥ୍ଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ?
20
ତେଣୁ ସେ ସେମାନଙ୍କୁ କହିଲା, ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି ।
21
ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି । ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?
22
ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆଗତା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥ୍ଲିହିମରେ ଉପସ୍ଥିତ ହେଲେ ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4