bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Colossians 1
Colossians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ପାଉଲ ଓ ଭ୍ରାତା ତୀମଥି
2
କଲସୀରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟବିଶ୍ୱାସୀ ଭ୍ରାତାମାନଙ୍କ ନିକଟକୁ ଏହି ପତ୍ର ଲେଖୁଛନ୍ତି। ଆମ୍ଭମାନଙ୍କର ପିତା ଈଶ୍ୱର, ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
3
ଆମେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କ ଖ୍ରୀଷ୍ଟ ଯୀଶୁଙ୍କ ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଛୁ।
4
କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।
5
ଯେତେବେଳେ ସୁସମାଚାରର ସତ୍ୟ ସମ୍ବାଦ ତୁମ୍ଭମାନଙ୍କ ନିକଟକୁ ପ୍ରଥମେ ଆସିଲା, ତୁମ୍ଭେମାନେ ତାହା ଦ୍ୱାରା ପ୍ରଦତ୍ତ ଭରସାର କଥା ଶୁଣିଥିଲ। ତୁମ୍ଭେମାନେ ଯାହା ଭରସା କର, ଯାହା ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସୁରକ୍ଷିତ, ତାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମ ପ୍ରତିଷ୍ଠିତ।
6
ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।
7
ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।
8
ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଦେଇଥିବା ପ୍ରେମ ସମ୍ବନ୍ଧରେ ସେ ଆମ୍ଭମାନଙ୍କୁ କହିଛନ୍ତି।
9
ଏହି କାରଣରୁ ତୁମ୍ଭମାନଙ୍କ ବିଷୟରେ ଶୁଣିବା ସମୟରୁ ଆମେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ପବିତ୍ର ଆତ୍ମାଙ୍କ ପ୍ରଦତ୍ତ ସମସ୍ତ ଜ୍ଞାନ ଓ ବୁଝିବା ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅଭିମତ ସମ୍ପୂର୍ଣ୍ଣ ରୂପେ ତୁମ୍ଭେମାନେ ଯେପରି ଜାଣି ପାରିବ, ଏଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।
10
ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।
11
ଧୈର୍ଯ୍ୟ ସହକାରେ ତୁମ୍ଭେମାନେ ଯେପରି ସବୁ ବିଷୟ ସହି ପାରିବ, ଏଥିପାଇଁ ତାଙ୍କର ଗୌରବମୟ ଶକ୍ତି ଦ୍ୱାରା ତୁମ୍ଭେମାନେ ବଳୀୟାନ ହୁଅ।
12
ପିତା ଈଶ୍ୱର ଆଲୋକ ରାଜ୍ୟରେ ତାଙ୍କର ଲୋକମାନଙ୍କ ନିମନ୍ତେ ଯାହା ସଂରକ୍ଷିତ କରିଛନ୍ତି, ତାହାର ଅଂଶୀ ହେବା ପାଇଁ ସେ ଯେ ତୁମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି, ଏଥିଯୋଗୁଁ ଆନନ୍ଦରେ ତାହାଙ୍କୁ ଧନ୍ୟବାଦ ଦିଅ।
13
ସେ ଅନ୍ଧକାରର ଶକ୍ତିରୁ ଆମକୁ ରକ୍ଷା କରିଛନ୍ତି ଓ ନିରାପଦରେ ଆମ୍ଭମାନଙ୍କୁ ତାଙ୍କ ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଛନ୍ତି।
14
ସେହି ପୁତ୍ରଙ୍କ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ପାପ କ୍ଷମା ହୋଇଛି।
15
ଖ୍ରୀଷ୍ଟ, ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟମାନ ପ୍ରତିରୂପ। ସେ ପ୍ରଥମ ଜାତ ପୁତ୍ର ଓ ସମସ୍ତ ସୃଷ୍ଟି ଅପେକ୍ଷା ଶ୍ରେଷ୍ଠ।
16
କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।
17
ସମସ୍ତ ବିଷୟର ସୃଷ୍ଟି ପୂର୍ବରୁ ତାଙ୍କର ଅସ୍ତିତ୍ୱ ଥିଲା ଓ ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ସମସ୍ତ ବିଷୟ ସ୍ୱ ସ୍ୱ ନିରୂପିତ ସ୍ଥାନରେ ସ୍ଥିତିଶୀଳ ହେଲେ।
18
ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।
19
କାରଣ ଈଶ୍ୱରଙ୍କର ନିଷ୍ପତ୍ତି ଅନୁଯାୟୀ ପୁତ୍ର ନିଜେ ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱଭାବ ଧାରଣ କରିଛନ୍ତି।
20
ପୁତ୍ରଙ୍କ ଦ୍ୱାରା ଈଶ୍ୱର ସମସ୍ତ ବିଶ୍ୱକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ସ୍ଥିର କଲେ। କ୍ରୁଶରେ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଈଶ୍ୱର ଶାନ୍ତି ସ୍ଥାପନ କରିଛନ୍ତି ଏବଂ ପୃଥିବୀ ଓ ସ୍ୱର୍ଗରେ ଥିବା ସମସ୍ତ ବିଷୟକୁ ନିଜ ନିକଟକୁ ଫେରାଇ ଆଣିଛନ୍ତି।
21
ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।
22
କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।
23
ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।
24
ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।
25
ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏହି କାର୍ଯ୍ୟ କରିବା ପାଇଁ ମୁଁ ଈଶ୍ୱରଙ୍କ ଦ୍ୱାରା ମଣ୍ଡଳୀର ଜଣେ ସେବକ ରୂପେ ନିଯୁକ୍ତ ହୋଇଛି। ତାଙ୍କର ସୁସମାଚାର ସମ୍ପୂର୍ଣ୍ଣ ରୂପେ ଘୋଷଣା କରିବା ମୋର କାର୍ଯ୍ୟ।
26
ସେହି ସୁସମାଚାର ଏକ ନିଗୂଢ଼ ତତ୍ତ୍ୱ। ଯୁଗ ଯୁଗ ଧରି ଈଶ୍ୱର ସମସ୍ତଙ୍କଠାରୁ ଏହା ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଲୋକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।
27
ତାଙ୍କ ଲୋକମାନଙ୍କୁ ସେହି ଗୁପ୍ତ ତତ୍ତ୍ୱ ଜଣାଇବା ଈଶ୍ୱରଙ୍କର ପରିକଳ୍ପନା। ତାଙ୍କର ଏହି ବହୁମୂଲ୍ୟ ଓ ଗୌରବଜନକ ତତ୍ତ୍ୱ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେହି ତତ୍ତ୍ୱ ହେଉଛି, ଖ୍ରୀଷ୍ଟ ତୁମ୍ଭମାନଙ୍କ ନିକଟରେ ମଧ୍ୟ ବିଦ୍ୟମାନ। ଏହାର ଅର୍ଥ, ତୁମ୍ଭେମାନେ ଈଶ୍ୱରଙ୍କର ଗୌରବର ଅଂଶୀ।
28
ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।
29
ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4