bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 6
1 Timothy 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
1
ଖ୍ରୀଷ୍ଟବିଶ୍ୱାସୀ କ୍ରୀତଦାସମାନେ କର୍ତ୍ତାମାନଙ୍କୁ ଯଥାବିଧି ସମ୍ମାନ ଦିଅନ୍ତୁ। ତାହାହେଲେ, ଈଶ୍ୱରଙ୍କ ବିରୁଦ୍ଧରେ କିମ୍ବା ଆମ ଶିକ୍ଷା ସମ୍ପର୍କରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।
2
ଯେଉଁମାନଙ୍କ କର୍ତ୍ତମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ, ସେମାନେ କର୍ତ୍ତାମାନଙ୍କୁ “ଭାଇ” ମନେ କରି ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାରେ ଅବହେଳା କରନ୍ତୁ ନାହିଁ। ବରଂ ଅଧିକ ନିଷ୍ଠାପର ଭାବରେ ସେମାନଙ୍କ ସେବା କରନ୍ତୁ, କାରଣ ସେମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ଏବଂ ଅଧିକ ଶ୍ରଦ୍ଧାର ପାତ୍ର। ଏହି ସମସ୍ତ ବିଷୟ ତୁମେ ଶିକ୍ଷା ଦେଇ ପ୍ରଚାର କରିବ।
3
ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,
4
ସେମାନେ କେବଳ ଗର୍ବରେ ସ୍ଫୀତ ମୂଢ଼ମତି ଛଡ଼ା ଆଉ କିଛି ନୁହଁନ୍ତି। ସେମାନେ ଶାସ୍ତ୍ରର ଶବ୍ଦାର୍ଥ ନେଇ କଳହ କରନ୍ତି; ଏଥିରୁ କେବଳ ଈର୍ଷା, ସନ୍ଦେହ, କୁତ୍ସାରଟନା ଓ ବିବାଦର ସୂତ୍ରପାତ ହୁଏ।
5
ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।
6
ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ଧନୀ, କାରଣ ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ।
7
ଆମେ ଏହି ଜଗତକୁ କ’ଣ ନେଇ ଆସିଛୁ? କିଛି ତ ନୁହେଁ। ପୁଣି ଏଠାରୁ ସାଙ୍ଗରେ କ’ଣ ନେଇ ଫେରିଯିବା? କିଛି ନୁହେଁ।
8
ତା’ ହେଲେ, ଆମର ଅନ୍ନବସ୍ତ୍ରର ସଂସ୍ଥାନ ହୋଇପାରିଲେ, ଏହା ଆମ ପାଇଁ ଯଥେଷ୍ଟ ନୁହେଁ କି?
9
ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।
10
ଅର୍ଥ ଲୋଭ ସମସ୍ତ ଅନର୍ଥର ମୂଳ। ଯେଉଁମାନେ ସବୁବେଳେ କେବଳ ଅର୍ଥାଗମର ପନ୍ଥା ଖୋଜୁ ଥାଆନ୍ତି, ସେମାନେ ଧର୍ମବିଶ୍ୱାସକୁ ହରାଇ ବସନ୍ତି - ପରିଣାମରେ କେବଳ ବିଡ଼ମ୍ବନା ଓ ଦୁଃଖଭୋଗରେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଥାଏ।
11
ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।
12
ଖ୍ରୀଷ୍ଟବିଶ୍ୱାସର ପୁଣ୍ୟ ରଣକ୍ଷେତ୍ରରେ ସଂଗ୍ରାମ କରି ଅନନ୍ତ ଜୀବନ ଲାଭ କର। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ତ ତୁମେ ଆହୂତ ହୋଇଅଛ ଏବଂ ଅନେକ ସାକ୍ଷୀଙ୍କ ମଧ୍ୟରେ ଏହା ସ୍ୱୀକାର କରିଛ।
13
ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:
14
ପ୍ରଭୁ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ତୁମକୁ ଦିଆଯାଇଥିବା ଆଜ୍ଞାଗୁଡ଼ିକୁ ବିଶ୍ୱସ୍ତଭାବେ ପାଳନ କର।
15
ତାଙ୍କ ପୁନରାଗମନର ଉପଯୁକ୍ତ ସମୟ ନିର୍ଣ୍ଣୟ କରିବେ ସ୍ୱୟଂ ଈଶ୍ୱର - ପରମଧନ୍ୟ, ରାଜାଧିରାଜ, ପ୍ରଭୁମାନଙ୍କର ପ୍ରଭୁ, ଅଦ୍ୱିତୀୟ ଅଧିପତି;
16
ସେ କେବଳ ଅମର; ମନୁଷ୍ୟର ଅଗମ୍ୟ ଆଲୋକ ରାଜ୍ୟରେ ସେ ବାସ କରନ୍ତି; କେହି ତାଙ୍କୁ କେବେ ଦେଖି ନାହିଁ; କେହି କେବେ ଦେଖି ପାରିବ ନାହିଁ। ତାଙ୍କର ଗୌରବ ଓ ଶାଶ୍ୱତ ରାଜ୍ୟ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହୁ।
17
ଏହି ଜଗତର ବିଷୟବସ୍ତୁରେ ଯେଉଁମାନେ ଧନବାନ୍, ସେମାନଙ୍କୁ ଦର୍ପ ନ କରିବାକୁ ସତର୍କ କରିଦିଅ। ସେମାନଙ୍କୁ ଆଦେଶ ଦେଇ କୁହ, ଅନିଶ୍ଚିତ ଧନ ସମ୍ପତ୍ତିରେ ଭରସା ନ ରଖି, ସେମାନେ ସର୍ବଶୁଭଦାତା ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ;
18
ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;
19
ତାହାହେଲେ, ଏହି ଅବିନଶ୍ୱର ଧନଭଣ୍ଡାର ସୃଷ୍ଟି କରି ନିଜର ଭବିଷ୍ୟତ ସଦ୍ଗତି ପାଇଁ ସେମାନେ ଦୃଢ଼ଭିତ୍ତି ସ୍ଥାପନ କରିବେ ଏବଂ ପରିଶେଷରେ ସେମାନେ ପ୍ରକୃତ ଜୀବନ ଲାଭ କରିବେ।
20
ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
All chapters:
1
2
3
4
5
6