bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 8
Romans 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
1
ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।
2
ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।
3
ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।
4
ତେଣୁ ବର୍ତ୍ତମାନ ଆମେ ମାନବ ପ୍ରକୃତିର ବଶବର୍ତ୍ତୀ ନ ହୋଇ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ଏବଂ ଏହା ଦ୍ୱାରା ଆମ୍ଭେମାନେ ବ୍ୟବସ୍ଥାର ଯଥାର୍ଥ ଦାବୀ ପୂରଣ କରିଛୁ।
5
ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରୁଥାଆନ୍ତି, ସେମାନଙ୍କ ମନ ସେହି ପ୍ରକୃତିର ବଶୀଭୂତ ହୋଇଥାଏ। କିନ୍ତୁ ଯେଉଁମାନେ ପବିତ୍ରଆତ୍ମାଙ୍କ ପ୍ରେରଣା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନଙ୍କ ମନ ପବିତ୍ରଆତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ।
6
ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।
7
ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।
8
ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ।
9
ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।
10
କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥାଆନ୍ତି, ତୁମ ଶରୀର ପାପରେ ବିନଷ୍ଟ ହେବାକୁ ଯାଉଥିଲେ ସୁଦ୍ଧା, ପବିତ୍ରଆତ୍ମା ତୁମକୁ ଜୀବନ ପ୍ରଦାନ କରିବେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ତୁମେ ଧାର୍ମିକ ବିବେଚିତ ହୋଇଛ।
11
ଯଦି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ଆତ୍ମା ତୁମଠାରେ ବିଦ୍ୟମାନ, ତେବେ ସେହି ଆତ୍ମାଙ୍କ ସାହାଯ୍ୟରେ ଈଶ୍ୱର ତୁମ ମର ଶରୀରକୁ ମଧ୍ୟ ଜୀବନ୍ତ କରିବେ।
12
ତେବେ ହେ ଭାଇମାନେ, ଆମ୍ଭମାନଙ୍କ କର୍ତ୍ତବ୍ୟ ହେଉଛି, ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରିବା ନାହିଁ, କାରଣ ତା’ କଲେ ତୁମେ ମରିବ;
13
କିନ୍ତୁ ଯଦି ପବିତ୍ରଆତ୍ମାଙ୍କ ସାହାଯ୍ୟରେ ନିଜ ପାପ ପ୍ରବୃତ୍ତିକୁ ବିନଷ୍ଟ କରି ଆଉ ପାପ କାର୍ଯ୍ୟ ନ କର, ତେବେ ତୁମେ ବଞ୍ଚିବ।
14
ଯେଉଁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ, ସେମାନେ ଈଶ୍ୱରଙ୍କ ସନ୍ତାନ।
15
କାରଣ ଈଶ୍ୱରପ୍ରଦତ୍ତ ସେହି ଆତ୍ମା ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି, ତୁମେ ଆଉ ଭୟ କରିବାର କାରଣ ନାହିଁ। ବରଂ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ସୁଯୋଗ ଦେଇଛନ୍ତି। ତାଙ୍କ ଶକ୍ତି ଅନୁଭବ କରି ଆମେ ଏବେ ଈଶ୍ୱରଙ୍କୁ “ପିତା” ବୋଲି ସମ୍ବୋଧନ କରୁଛୁ।
16
ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରାତ୍ମା ସହିତ ସ୍ୱର ମିଳାଇ ଆମକୁ ଈଶ୍ୱରଙ୍କ ସନ୍ତାନ ବୋଲି ଘୋଷଣା କରୁଛନ୍ତି।
17
ଯେହେତୁ ଆମେ ଈଶ୍ୱରଙ୍କ ସନ୍ତାନ, ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶୀର୍ବାଦରେ ଆମେ ଅଂଶୀ ହେବୁ। ପୁଣି ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ଯାହା ଗଚ୍ଛିତ ରଖିଛନ୍ତି, ସେଥିରେ ମଧ୍ୟ ଆମ୍ଭମାନଙ୍କର ଭାଗ ଅଛି। ଯଦି ଆମ୍ଭେମାନେ ଯୀଶୁଙ୍କ ଦୁଃଖଭୋଗର ଅଂଶୀ ହୋଇଛୁ, ତେବେ ତାଙ୍କ ଗୌରବରେ ମଧ୍ୟ ଅଂଶୀ ହେବୁ।
18
ଯେଉଁ ଗୌରବମୟ ଭବିଷ୍ୟତରେ ଆମେମାନେ ପ୍ରବେଶ କରିବା, ତା’ ତୁଳନାରେ ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ସେହି ସମୟରେ ଈଶ୍ୱର ତାଙ୍କ ସନ୍ତାନମାନଙ୍କୁ ପ୍ରକାଶ କରିବେ।
19
ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି,
20
କାରଣ ସୃଷ୍ଟି ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହୋଇ ତା’ର ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି। କିନ୍ତୁ ତଥାପି ତା’ର ଆଶା ରହିଛି,
21
ଦିନେ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବର ଭାଗୀ ହୋଇ ସେ ମଧ୍ୟ ତା’ର କ୍ଷୟମାଣ ଅବସ୍ଥାରୁ ମୁକ୍ତିଲାଭ କରିବ।
22
କିନ୍ତୁ ଏ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରସବ ବେଦନା ତୁଲ୍ୟ ଯନ୍ତ୍ରଣା ଅନୁଭବ କରି ଆର୍ତ୍ତନାଦ କରୁଛି।
23
ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।
24
କାରଣ ଭରସା ରଖିବା ଦ୍ୱାରା ହିଁ ଆମ୍ଭେମାନେ ମୁକ୍ତି ପାଇଥାଉ। କିନ୍ତୁ ଯାହା ଦୃଶ୍ୟମାନ, ତାହା ପାଇଁ ଭରସା ରଖିବା ପ୍ରକୃତ ଭରସା ନୁହେଁ। କିଏ କଅଣ ଦୃଶ୍ୟମାନ ବିଷୟ ସବୁ ପାଇଁ ଭରସା କରେ?
25
କିନ୍ତୁ ଆମେ ଯଦି ଅଦୃଶ୍ୟ ବିଷୟ ପାଇଁ ଭରସା କରୁ, ତେବେ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ପଡ଼ିବ।
26
ଆମ୍ଭେମାନେ ଦୁର୍ବଳ, କିନ୍ତୁ ପବିତ୍ରଆତ୍ମା ଆମକୁ ସାହାଯ୍ୟ କରନ୍ତି। କିପରି ପ୍ରାର୍ଥନା କରିବାକୁ ହୁଏ, ତାହା ଆମ୍ଭେମାନେ ଜାଣୁନା। ତେଣୁ ପବିତ୍ରଆତ୍ମା ଅବ୍ୟକ୍ତ ଭାଷାରେ ଆମ ପାଇଁ ଈଶ୍ୱରଙ୍କୁ ଅନୁନୟ କରନ୍ତି।
27
ଈଶ୍ୱର ତା’ ବୁଝିପାରନ୍ତି, କାରଣ ସେ ଅନ୍ତର୍ଯ୍ୟାମୀ ଓ ପବିତ୍ରଆତ୍ମା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଲୋକମାନଙ୍କ ପାଇଁ ଅନୁନୟ କରୁଥାଆନ୍ତି।
28
ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।
29
ଯେଉଁମାନଙ୍କୁ ଈଶ୍ୱର ମନୋନୀତ କରିଛନ୍ତି, ସେମାନଙ୍କୁ ତାଙ୍କ ପୁତ୍ରଙ୍କ ଅନୁରୂପ ହେବା ପାଇଁ ଆଗରୁ ନିରୂପଣ କରିଛନ୍ତି ତାହାହେଲେ, ଈଶ୍ୱରଙ୍କ ପୁତ୍ର ସେମାନଙ୍କର ଅଗ୍ରଜ ହେବେ।
30
ଯେଉଁମାନେ ଏପରି ମନୋନୀତ ହୋଇ ଆହୂତ ହୋଇଛନ୍ତି, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଗୌରବାନ୍ୱିତ ହୋଇଛନ୍ତି।
31
ଏହିସବୁ ଦୃଷ୍ଟିରୁ ଆଉ କଅଣ କରିବା? ଈଶ୍ୱର ଯଦି ଆମର ସପକ୍ଷ, କିଏ ଆମର ବିପକ୍ଷ ହୋଇପାରେ?
32
ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?
33
ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିପାରିବ? ସେମାନଙ୍କୁ ନିର୍ଦ୍ଦୋଷ ବୋଲି ସ୍ୱୟଂ ଈଶ୍ୱର ଘୋଷଣା କରିଛନ୍ତି।
34
ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।
35
ତେବେ କିଏ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ? ଦୁଃଖ, କଷ୍ଟ, କ୍ଳେଶ ବା ଉତ୍ପୀଡ଼ନ, ଦାରିଦ୍ର୍ୟ, କ୍ଷୁଧା, ବିପଦ ବା ମୃତ୍ୟୁର ବିଭୀଷିକା, କେହି ତା’ କରିପାରିବେ ନାହିଁ।
36
ଶାସ୍ତ୍ରରେ ଲେଖାଅଛି: “ତୁମ ସକାଶେ ଆମ୍ଭେମାନେ ସର୍ବଦା ମୃତ୍ୟୁର ସମ୍ମୁଖୀନ, ବଧ ହେବାକୁ ଯାଉଥିବା ମେଷତୁଲ୍ୟ ଆମ୍ଭେମାନେ ବିବେଚିତ।”
37
ଯେ ଆମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସାହାଯ୍ୟରେ ଆମେ ଏ ସବୁ ଉପରେ ବିଜୟୀ ହୋଇଛୁ।
38
ମୁଁ ନିଶ୍ଚିତଭାବେ ଜାଣେ ଯେ ତାଙ୍କ ପ୍ରେମରୁ ଆମେ କେବେ ବିଚ୍ଛିନ୍ନ ହେବା ନାହିଁ। ମୃତ୍ୟୁ ବା ଜୀବନ, ସ୍ୱର୍ଗଦୂତ ବା ଆକାଶମଣ୍ଡଳର କୌଣସି ଅଧିପତି ବା ଶକ୍ତି, ବର୍ତ୍ତମାନ ବା ଭିବଷ୍ୟତ୍,
39
ଊଦ୍ଧ୍ୱର୍ସ୍ଥ ବା ନିମ୍ନସ୍ଥ କୌଣସି ବିଷୟ- ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ସେହି ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16