bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 11
1 Corinthians 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
1
ମୁଁ ଖ୍ରୀଷ୍ଟଙ୍କୁ ଅନୁକରଣ କଲା ପରି ତୁମ୍ଭେମାନେ ମୋତେ ଅନୁକରଣ କର।
2
ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି, କାରଣ ତୁମ୍ଭେମାନେ ମୋତେ ସବୁବେଳେ ସ୍ମରଣ କରୁଛ ଓ ମୁଁ ତୁମ୍ଭମାନଙ୍କୁ ଦେଇଥିବା ଶିକ୍ଷାସବୁ ପାଳନ କରୁଛ।
3
ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ।
4
ତେଣୁ ଯେଉଁ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେ ଖ୍ରୀଷ୍ଟଙ୍କର ଅବମାନନା କରେ।
5
ଅପର ପକ୍ଷରେ ଯେଉଁ ନାରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ତା’ ସ୍ୱାମୀର ଅବମାନନା କରେ। ସେହିଭଳି ନାରୀ, ମୁଣ୍ଡିତମସ୍ତକା ସ୍ତ୍ରୀ ଲୋକ ପରି।
6
କୌଣସି ନାରୀ ଯଦି ତା’ ମସ୍ତକ ଆଚ୍ଛାଦନ କରିବାକୁ ନ ଚାହେଁ, ତେବେ ତା’ ମସ୍ତକର କେଶ କଟାଯାଉ। କିନ୍ତୁ କେଶ କଟା ହେବା କିମ୍ବା ମୁଣ୍ଡିତ ହେବା, ନାରୀ ପକ୍ଷରେ ଲଜ୍ଜାଜନକ ହୋଇଥିବାରୁ, ସେ ମସ୍ତକ ଆଚ୍ଛାଦନ କରିବା ଉଚିତ।
7
ପୁରୁଷର ମସ୍ତକ ଆଚ୍ଛାଦନ କରିବା ଦରକାର ନାହିଁ, କାରଣ ଈଶ୍ୱରଙ୍କ ସାଦୃଶ୍ୟ ଓ ମହିମା ତା’ଠାରେ ପ୍ରତିଫଳିତ। କିନ୍ତୁ ନାରୀଠାରେ ପୁରୁଷର ମହିମା ପ୍ରତିଫଳିତ।
8
ନାରୀ ପୁରୁଷଠାରୁ ସୃଷ୍ଟ; କିନ୍ତୁ ପୁରୁଷ ନାରୀଠାରୁ ସୃଷ୍ଟ ନୁହେଁ।
9
ପୁଣି ପୁରୁଷର ସୃଷ୍ଟି ନାରୀ ନିମିତ୍ତ ନୁହେଁ; ମାତ୍ର ନାରୀର ସୃଷ୍ଟି ପୁରୁଷ ନିମିତ୍ତ। ଏଥିପାଇଁ ପୁରୁଷର କର୍ତ୍ତୃତ୍ୱ ନାରୀ ଉପରେ ଅଛି।
10
ଏହାର ନିଦର୍ଶନ ସ୍ୱରୂପେ ଓ ସ୍ୱର୍ଗଦୂତମାନଙ୍କ ହେତୁ ନାରୀ ମସ୍ତକ ଆଚ୍ଛାଦନ କରିବା ଉଚିତ।
11
ସେ ଯାହାହେଉ, ପ୍ରଭୁଙ୍କର ନିକଟରେ ପୁରୁଷ, ନାରୀଠାରୁ ସ୍ୱତନ୍ତ୍ର ନୁହେଁ, କିମ୍ବା ନାରୀ, ପୁରୁଷଠାରୁ ସ୍ୱତନ୍ତ୍ର ନୁହେଁ,
12
କାରଣ ନାରୀ, ପୁରୁଷଠାରୁ ଉତ୍ପନ୍ନ, ସେହି ନାରୀ, ପୁରୁଷର ଜନ୍ମଦାତ୍ରୀ ଏବଂ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର।
13
ତୁମ୍ଭେମାନେ ନିଜେ ବିବେଚନା କର। ସର୍ବସାଧାରଣ ଉପାସନାରେ ଅନାବୃତ ମସ୍ତକରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, କ’ଣ ନାରୀ ପାଇଁ ଶୋଭନୀୟ?
14
ପ୍ରକୃତି କ’ଣ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ନାହିଁ ଯେ, ଦୀର୍ଘ କେଶ ପୁରୁଷର ଲଜ୍ଜାଜନକ,
15
କିନ୍ତୁ ଏହା ସ୍ତ୍ରୀର ଗର୍ବର ବିଷୟ? ଏହି ଦୀର୍ଘ କେଶ ତା’ର ଆବରଣ ନିମନ୍ତେ ଦିଆଯାଇଛି।
16
ଯଦି ଏହି ବିଷୟରେ କେହି ଯୁକ୍ତିତର୍କ କରିବାକୁ ଇଚ୍ଛା କରେ, ତେବେ ତାକୁ ମୋର ଏତିକି ବକ୍ତବ୍ୟ, ଆମ ମଧ୍ୟରେ କିମ୍ବା ଈଶ୍ୱରଙ୍କ ଉପାସନା ମଣ୍ଡଳୀମାନଙ୍କରେ ଉପାସନା ସମ୍ପର୍କରେ ଅନ୍ୟ କୌଣସି ପ୍ରଥା ନାହିଁ।
17
ନିମ୍ନରେ ତୁମ୍ଭମାନଙ୍କୁ ଆଉ କେତୋଟି ନିର୍ଦ୍ଦେଶ ଦେବାବେଳେ ମୁଁ ତୁମର ପ୍ରଶଂସା କରି କିଛି କହି ପାରିବି ନାହିଁ। ତୁମ୍ଭେମାନେ ଉପାସନା ପାଇଁ ଏକତ୍ରିତ ହେବା ସମୟରେ, ଏହା ତୁମ ପକ୍ଷରେ ହିତକର ନ ହୋଇ ଅନିଷ୍ଟଜନକ ହେଉଛି।
18
ପ୍ରଥମତଃ, ମୁଁ ଖବର ପାଇଛି ଯେ, ଉପାସନାଳୟରେ ଏକ୍ରତିତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ସୃଷ୍ଟି ହେଉଛି। ଏହା ଆଂଶିକ ଭାବରେ ସତ୍ୟ ବୋଲି ମୋର ବିଶ୍ୱାସ।
19
(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)
20
ତୁମ୍ଭେମାନେ ଗୋଟିଏ ଦଳ ସ୍ୱରୂପେ ଏକତ୍ରିତ ହୋଇ ଯେଉଁ ଭୋଜନରେ ଅଂଶୀ ହେଉଛ, ତାହା “ପ୍ରଭୁଭୋଜ ନୁହେଁ,”
21
କାରଣ ସେତେବେଳେ ତୁମ୍ଭେମାନେ ପ୍ରତ୍ୟେକେ ନିଜ ନିଜ ଆହାର ଭୋଜନ କରିବାରେ ବ୍ୟସ୍ତ ଥାଅ। ଫଳରେ ଜଣେ କ୍ଷୁଧାର୍ତ୍ତ ଥିଲାବେଳେ, ଅନ୍ୟ ଜଣେ ମାତାଲ ହୋଇ ପଡ଼େ।
22
ଭୋଜନ ପାନ କରିବା ପାଇଁ ତୁମର କ’ଣ ନିଜର ଘର ନାହିଁ? ଅଥବା ଈଶ୍ୱରଙ୍କ ମଣ୍ଡଳୀକୁ ତୁଚ୍ଛ ଜ୍ଞାନ କରିବା ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଅପମାନ ଦେବା, କଅଣ ତୁମର ଉଦ୍ଦେଶ୍ୟ? ମୁଁ ତୁମ୍ଭମାନଙ୍କୁ ଏ ବିଷୟରେ କ’ଣ କହିବି? କ’ଣ ତୁମ୍ଭମାନଙ୍କୁ ପ୍ରଶଂସା କରିବି? ନା, ଏ କ୍ଷେତ୍ରରେ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରି ପାରିବି ନାହିଁ।
23
ଏ ସମ୍ପର୍କରେ ପ୍ରଭୁଙ୍କଠାରୁ ମୁଁ ଯେଉଁ ନିର୍ଦ୍ଦେଶ ପାଇଛି, ତୁମ୍ଭମାନଙ୍କୁ ଜଣାଉଛି। ପ୍ରଭୁ ଯୀଶୁ ଶତ୍ରୁମାନଙ୍କ ହାତରେ ସମର୍ପିତ ହେବା ରାତିରେ ରୋଟୀ ନେଇ ଈଶ୍ୱରଙ୍କ ଧନ୍ୟବାଦ କଲେ,
24
ତାହା ଭାଙ୍ଗି କହିଲେ, “ଏହି ହେଉଛି ତୁମ୍ଭମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ଏହା କର।”
25
ଭୋଜନ ପରେ ସେହିପରି ପାନପାତ୍ର ଉଠାଇ ସେ କହିଲେ, “ଏହି ପାନପାତ୍ର ମୋର ରକ୍ତରେ ପ୍ରତିଷ୍ଠିତ ଈଶ୍ୱରଙ୍କ ନୂତନ ନିୟମ। ତୁମ୍ଭେମାନେ ଯେତେ ଥର ଏହି ପାନପାତ୍ରରୁ ପାନ କରିବ, ସେତେ ଥର ମୋତେ ସ୍ମରଣ କରିବାକୁ ଏହା କରିବ।”
26
ଏଥିରୁ ଏହା ଜଣାପଡ଼ୁଛି ଯେ, ତୁମ୍ଭେମାନେ ଯେତେ ଥର ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ବାର୍ତ୍ତା ଘୋଷଣା କରିଥାଅ।
27
ସୁତରାଂ ଯେ ଅଯୋଗ୍ୟ ଭାବରେ ପ୍ରଭୁଙ୍କ ସ୍ମାରକୀ ରୋଟୀ ଭୋଜନ କରେ ଏବଂ ପାନପାତ୍ରରୁ ପାନ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତ ବିରୁଦ୍ଧରେ ପାପ କରିବ।
28
ତେଣୁ ଏହି ରୋଟୀ ଭୋଜନ କରିବା ପୂର୍ବରୁ ଓ ପାନପାତ୍ରରୁ ପାନ କରିବା ପୂର୍ବରୁ ପ୍ରତ୍ୟେକେ ଆତ୍ମପରୀକ୍ଷା କରନ୍ତୁ।
29
କାରଣ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଶରୀରର ପ୍ରକୃତ ଅର୍ଥ ନ ବୁଝି ଭୋଜନ କରେ ଓ ପାନ କରେ, ସେ ନିଶ୍ଚୟ ଦଣ୍ଡନୀୟ ହେବ।
30
ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରୁ ଆଜି ଅନେକେ ଦୁର୍ବଳ, ରୋଗାକ୍ରାନ୍ତ ଓ ମୃତ୍ୟୁମୁଖରେ ପଡ଼ିଛନ୍ତି।
31
ପ୍ରଥମରୁ ଆତ୍ମବିଶ୍ଲେଷଣ କରି କାର୍ଯ୍ୟ କଲେ, ଆମେ ଈଶ୍ୱରଙ୍କ ଦଣ୍ଡ ଭୋଗ କରିବା ନାହିଁ,
32
କିନ୍ତୁ ଜଗତର ଅନ୍ତିମ ଦଣ୍ଡରୁ ଆମକୁ ରକ୍ଷା କରିବା ପାଇଁ ଈଶ୍ୱର ଆମକୁ କ୍ଲେଶ ଦେଇ ସଂଶୋଧନ କରୁଛନ୍ତି।
33
ସୁତରାଂ ବନ୍ଧୁଗଣ, ତୁମେମାନେ ପ୍ରଭୁଭୋଜ ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।
34
ତୁମ୍ଭମାନଙ୍କର ସମାବେଶ ଯେପରି ଦଣ୍ଡର କାରଣ ନ ହୁଏ, ସେଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରି ଆସୁ। ଅନ୍ୟାନ୍ୟ ବିଷୟ ସବୁ ମୁଁ ଗଲେ ବୁଝାଇ ଦେବି।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16